|
logo
Live
Argus News App
GET APP

Argus News - କୋଣାଗାର ବନ୍ଦର ଥିଲା, ସେଥିପାଇଁ ନାଁ ହେଲା କୋଣାର୍କ

Baliyatra

Historic Baliyatra Cuttack / କୋଣାଗାର ବନ୍ଦର ଥିଲା, ସେଥିପାଇଁ ନାଁ ହେଲା କୋଣାର୍କ

Bikash Chandra Barik
Browse all articles by Bikash Chandra Barik
·4 months ago·4 min read
କୋଣାଗାର ବନ୍ଦର ଥିଲା, ସେଥିପାଇଁ ନାଁ ହେଲା କୋଣାର୍କ

Key Points

ଦାକ୍ଷିଣାତ୍ୟ ବିଜୟରେ ବିପୁଳ ଧନରତ୍ନ ଧରି ତିନିବର୍ଷ ପରେ ପ୍ରତ୍ୟାବର୍ତ୍ତନ କରନ୍ତି । ପିତା ଅନଙ୍ଗଭୀମ ଦେବ ସେ ଯାଏଁ ସିଂହାସନାରୂଢ଼ । ମାତାଙ୍କ ଉପଦେଶ, ବିଜୟରେ ଉପାର୍ଜନ କରିଥିବା ଅର୍ଥରେ ସୂର୍ଯ୍ୟଦେବଙ୍କ ବିଶାଳ ମନ୍ଦିର ନିର୍ମାଣ କର...

ଲାଙ୍ଗୁଳା ନରସିଂହ ଦେବ ୧୮ ବର୍ଷ ବୟସରେ ଦକ୍ଷିଣକୁ ଯୁଦ୍ଧ କରିବାକୁ ଯାଆନ୍ତି । ଦାକ୍ଷିଣାତ୍ୟ ବିଜୟରେ ବିପୁଳ ଧନରତ୍ନ ଧରି ତିନିବର୍ଷ ପରେ ପ୍ରତ୍ୟାବର୍ତ୍ତନ କରନ୍ତି । ପିତା ଅନଙ୍ଗଭୀମ ଦେବ ସେ ଯାଏଁ ସିଂହାସନାରୂଢ଼ । ମାତାଙ୍କ ଉପଦେଶ, ବିଜୟରେ ଉପାର୍ଜନ କରିଥିବା ଅର୍ଥରେ ସୂର୍ଯ୍ୟଦେବଙ୍କ ବିଶାଳ ମନ୍ଦିର ନିର୍ମାଣ କର । କାରଣ କଲିଙ୍ଗର ଏକମାତ୍ର ଅର୍କକ୍ଷେତ୍ର ବଞ୍ଚିତ ରହିଥାଏ ଉପଯୁକ୍ତ ମନ୍ଦିର ନିର୍ମାଣରୁ । ଅନ୍ୟ ତିନିଟି କ୍ଷେତ୍ର -ପୁରୀ ଭୁବନେଶ୍ୱର, ଯାଜପୁରରେ ମନ୍ଦିର ନିର୍ମାଣ ସରିଥାଏ । ମାତାଙ୍କ ଉପଦେଶରେ ଆଗଭର ଲାଙ୍ଗୁଳା ନରସିଂହ ଦେବ । ଆରମ୍ଭ ହୁଏ ନିର୍ମାଣ । ହାତୀଠୁ ବୋଇତ, ସ୍ଥଳ ଭାଗରୁ ଜଳପଥ ସବୁଥିରେ ପଥର ବୁହା କାର୍ଯ୍ୟ ଜାରି ରୁହେ । ଦୀର୍ଘ ବର୍ଷର ପରିଶ୍ରମ ଶେଷରେ ପରିଣାମ ସ୍ୱରୂପ ନିର୍ମାଣ କରେ କୋଣାର୍କ ସୂର୍ଯ୍ୟ ମନ୍ଦିର ।


()ପ୍ରାଚୀ ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ ମନ୍ଦିରର ସ୍ଥାପନା । ସେ ଯୁଗରେ ଏହା ଏକ ପୋତାଶ୍ରୟ ବନ୍ଦର ଥିଲା । ଏହାର ନାମଥିଲା କୋଣଗର l ‘‘କୋଣଗର’’ ନାମାନୁସାରେ ମନ୍ଦିରର ନାମ କୋଣାର୍କ ହୋଇଥିବା ବୋଲି ଅନୁମାନ କରାଯାଏ । କୋଣାର୍କ ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ ଏହା ସଂସ୍କୃତ ଶବ୍ଦ କୋଣ ଓ ଅର୍କର ସଂଯୋଗରୁ ତିଆରି ହୋଇଛି । କୋଣରମାନେ ହେଲା ଗୋଟିଏ ପାଖ ଅଥବା ଦୁଇଟି ଦିଗ ବା ରେଖାର ମିଳନ ସ୍ଥାନ ଓ ଅର୍କର ଅର୍ଥ ହେଲା ସୂର୍ଯ୍ୟ । ଏହି ମନ୍ଦିରଟି ସୂର୍ଯ୍ୟ ଦେବଙ୍କ ପାଇଁ ନିର୍ମିତ ହୋଇଥିବାରୁ ଜାଗାର ନାମ ତଦନୁସାରେ କୋଣାର୍କ ହୋଇଥିବା ମତ ପୋଷଣ କରାଯାଏ । ପାଶ୍ଚାତ୍ୟ ଦେଶର ନାବିକମାନେ ଏହାକୁ କୃଷ୍ଣ ପାଗୋଡ଼ା ବା ବ୍ଲାକ ପାଗୋଡ଼ା ଓ ପୁରୀ ଜଗନ୍ନାଥ ମନ୍ଦିରକୁ ଶ୍ୱେତ ପାଗୋଡ଼ା ନାମକରଣ କରିଥିଲେ । ଉତ୍କଳୀୟ ନୌବାଣିଜ୍ୟର ଏହା ଥିଲା ସୂଚିତପଥ । ଏହି ମନ୍ଦିରଦ୍ୱୟ ନାବିକଙ୍କ ନିମନ୍ତେ ଥିଲା ଦିଗ ନିର୍ଧାରଣର ଚିହ୍ନ ।


କଳିଙ୍ଗ ବାସୀ ବିଭିନ୍ନ ଦେଶ ସହିତ ବାଣିଜ୍ୟ କରୁଥିବାର ଅନେକ ପ୍ରମାଣ ଅଛି । ପୂର୍ବ ଆଫ୍ରିକା ସହିତ ବାଣିଜିକ ସମ୍ପର୍କ ଥିବାର କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଏହା ପ୍ରତିପାଦିତ ହୁଏ । ଅନୁଧ୍ୟାନ ଯୋଗ୍ୟ ଯେ ଆଫ୍ରିକା ଜଙ୍ଗଲରେ ଜିରାଫ ପ୍ରାଣୀ ଦେଖାଯାନ୍ତି ଏବଂ କୋଣାର୍କ ମନ୍ଦିରରେ ଜିରାଫର ଚିତ୍ର ମଧ୍ୟ ଗହିଛି । ଯାହାକି ପୂର୍ବ ଆଫ୍ରିକା ସହିତ କଳିଙ୍ଗର ସମ୍ପର୍କ ଥିବାର ସୂଚନା ମିଳେ । ପୁନଶ୍ଚ ଗବେଷଣାରୁ ଜଣାଯାଏ ଖ୍ରୀଷ୍ଟ ପୂର୍ବ ୫୮୭ ରୁ ୫୫୦ ମଧ୍ୟରେ ଚୀନ୍‌ ର ସମ୍ରାଟ ଯେଉଁ ଧାତବ ମୁଦ୍ରା ପ୍ରଚଳନ କରିଥିଲେ ତାହା ଉତ୍କଳର ପ୍ରଭାବ ବୋଲି ଅନୁମାନ କରାଯାଏ । ଖ୍ରୀ:ପୂ ୭୫ରେ କଳିଙ୍ଗବାସୀ ମାନେ ଜବଦୀପ ଯାତ୍ରା କରୁଥିବାର ସେଠାକାର ପ୍ରଚଳିତ ‘ଅବ୍ଦ’ ରୁ ଜଣାଯାଏ । ସେହିପରି କଳିଙ୍ଗ ବାସୀ ରୋମ୍ ସହିତ ବାଣିଜିକ ସମ୍ପର୍କ ଥୂବାର ବହୁତ ପ୍ରମାଣ ମିଳେ । ସେ କାଳରେ କଳିଙ୍ଗ ଉପକୂଳରେ ଥିବା ପିଥୁଣ୍ଡ, ପାଲୁର , ଗଙ୍ଗା ଓ ତାମ୍ରଲିପି ବନ୍ଦର ଥିବାରୁ ବଡ଼ ବଡ଼ ଜାହାଜ ଯାତାୟାତ କରୁଥୁଲେ । ଏପରିକି ଜଣାଯାଏ ବାଣିଜ୍ୟ କାରବାର ଯୋଗୁଁ ରୋମରୁ ପର୍ଯ୍ୟାପ୍ତ ଧନରତ୍ନ ଚାଲି ଯାଉଥିବାରୁ ରୋମ ସମ୍ରାଟ ବିବ୍ରତ ହୋଇପଡିଥୂଲେ । ଏବେ ମାଟି ଖେଳାଇଲେ ଓଡ଼ିଶାର ଅନେକ ସ୍ଥାନରୁ ମିଳେ ରୋମର ବିଭିନ୍ନ ପଦାର୍ଥ । ଯାହାକୁ ଅନୁଶୀଳନ କରନ୍ତି ପ୍ରତ୍ନତତ୍ୱବିତ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାଇଟ-

କେଉଁ ପ୍ରାଗ୍ଐତିହାସିକ କାଳରୁ ରହିଛି ଉତ୍କଳୀୟ ନୌବାଣିଜ୍ୟର ପଦଚିହ୍ନ । କଳିଙ୍ଗବାସୀ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ଏବଂ ପୂର୍ବରେ ବଙ୍ଗୋପ ଉପକୂଳରେ ଥ‌ିବା ତାମ୍ରଲିପି, ଦନ୍ତପୁର, କଳିଙ୍ଗ ନଗର, ପାଲୁର ପ୍ରଭୃତି ବନ୍ଦର ଗୁଡିକୁ ନୌବାଣିଜ୍ୟର କେନ୍ଦ୍ର ଭାବେ ପ୍ରଚଳନ କରିଆସୁଥିଲେ । ଖ୍ରୀଷ୍ଟୀୟ ଦ୍ଵିତୀୟ ଶତାବ୍ଦୀରେ ଗ୍ରୀକ୍ ଲେଖକ ଟେଲ୍ ମି ଯେଉଁ ଭୌଗୋଳିକ ଗ୍ରନ୍ଥ ରଚନା କରିଛନ୍ତି ସେଥିରେ ଉଲ୍ଲେଖ ରହିଛି କଳିଙ୍ଗର ଅନେକ ବନ୍ଦର ଓ ବାଣିଜ୍ୟ କେନ୍ଦ୍ରର ନାଁ ଓ ଠିକଣା । ତାହା ସମୟ କ୍ରମେ ବିଲୁପ୍ତ ହୋଇ ଯାଇଛି । ତାଙ୍କ ମତରେ ସେ ସମୟରେ ପାଲୁର, ବରୁଣ, କଟି କର୍ଦ୍ଦମ, ନନୀଗେନ, କୋନାଗାର (କୋଣାର୍କ) କୋଶାମ୍ବ, ମନଦ, ଚିଣ୍ଡିସ, ପିଥୁଣ୍ଡ, କଳିଙ୍ଗ ନଗର ଇତ୍ୟାଦି ବାଣିଜ୍ୟ ପାଇଁ ଅନୁକୂଳ କେନ୍ଦ୍ର ଥିଲା । ପୁନଶ୍ଚ ମଧ୍ୟଯୁଗରେ ଯେଉଁ ବନ୍ଦର ପ୍ରତିଷ୍ଠା ଲାଭ କରି ଥିଲା ସେଗୁଡିକ ମଧ୍ୟରୁ କଳିଂପଟ୍ଟନମ୍, ସିନେଭାର (ସୋନପୁର), କାରପାର (ଗଞ୍ଜାମ), କାରେଟୋର (କୁଶଭଦ୍ରା ମୁହାଣ) ନରଶପୁର, ଅରଶପୁର (ଦେବୀ ନଦୀ ମୁହାଣ), କାନକା (ଧାମରା), ପିପିଲି ( ସୁବର୍ଣ୍ଣ ରେଖା ନଦୀ ମୁହାଣ), ବାଲେଶ୍ବର (ବୁଢା ବଳଙ୍ଗ) ଅନ୍ୟତମ ।


ମୁଖ୍ୟତଃ ତାମ୍ରଲିପି, କୋନାଗର ବା ଆଧୁନିକ କୋଣାର୍କ ଯେଉଁ ଠାରେ କି କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମିତ ହୋଇଅଛି ତାହା ବର୍ତ୍ତମାନ ବିଲୁପ୍ତ ପ୍ରାୟ । ଚତୁର୍ଥ ଶତାଦ୍ଦୀରେ ଫାହୀୟାନ୍‌ କଳିଙ୍ଗ ବନ୍ଦର ଦେଇ ତାମ୍ରଲିପି ଠାରେ ପହଞ୍ଚି ଥୂଲେ ବୋଲି ତାଙ୍କ ବିବରଣୀରୁ ଜଣ।ଯାଏ, ଯାହାକି ଆଧୁନିକ ମେଦିନୀପୁର ଜିଲ୍ଲାର ପୂର୍ବ ରୂପନାରାୟଣ ନଦୀର ପଶ୍ଚିମ ତୀରରେ ଅବସ୍ଥିତ । ପ୍ରାଚୀନ ଯୁଗରେ ଏହା କଳିଙ୍ଗର ଅନ୍ତର୍ଗତ ଥିଲା । ଏହି ପରିପ୍ରେକ୍ଷୀରେ ମଧ୍ୟ ରଘୁ ବଂଶରେ ଦଶକୁମାର ଚରିତ୍ରରେ ବର୍ଣ୍ଣିତ ହୋଇଅଛି ଯେ “ଅସ୍ତି ସୁଦ୍ମେଶୁ ତାମଲିପି ନାମ ନଗରୀ” ।ଇତିହାସର ପୃଷ୍ଠା ଯେତେ ପୁରୁଣା, ଉତ୍କଳୀୟ ନାବିକର ଯାତ୍ରା ସେତେ ଦୂରଗାମୀ । ବନ୍ଦର, ବାଣିଜ୍ୟ ଓ ନୌଯାତ୍ରା ସେତେ ଋଦ୍ଧିମନ୍ତ । ଯାହା ପ୍ରାଚୀନ ଉତ୍କଳର ଶୋଭାକୁ ମହିମାମଣ୍ଡିତ କରେ ।


Related Topics

Explore more stories

Sponsored
Historic Baliyatra Cuttack: କୋଣାଗାର ବନ୍ଦର ଥିଲା, ସେଥିପାଇଁ ନାଁ ହେଲା କୋଣାର୍କ | Argus News