Historic Baliyatra Cuttack / କୋଣାଗାର ବନ୍ଦର ଥିଲା, ସେଥିପାଇଁ ନାଁ ହେଲା କୋଣାର୍କ

Key Points
ଲାଙ୍ଗୁଳା ନରସିଂହ ଦେବ । ୧୮ ବର୍ଷ ବୟସରେ ଦକ୍ଷିଣକୁ ଯୁଦ୍ଧ କରିବାକୁ ଯାଆନ୍ତି । ଦାକ୍ଷିଣାତ୍ୟ ବିଜୟରେ ବିପୁଳ ଧନରତ୍ନ ଧରି ତିନିବର୍ଷ ପରେ ପ୍ରତ୍ୟାବର୍ତ୍ତନ କରନ୍ତି । ପିତା ଅନଙ୍ଗଭୀମ ଦେବ ସେ ଯାଏଁ ସିଂହାସନାରୂଢ଼ । ମାତାଙ୍କ ଉପଦେଶ, ବିଜୟରେ ଉପାର୍ଜନ କରିଥିବା ଅର୍ଥରେ ସୂର୍ଯ୍ୟଦେବଙ୍କ ବିଶାଳ ମନ୍ଦିର ନିର୍ମାଣ କର । କାରଣ କଲିଙ୍ଗର ଏକମାତ୍ର ଅର୍କକ୍ଷେତ୍ର ବଞ୍ଚିତ ରହିଥାଏ ଉପଯୁକ୍ତ ମନ୍ଦିର ନିର୍ମାଣରୁ । ଅନ୍ୟ ତିନିଟି କ୍ଷେତ୍ର -ପୁରୀ ଭୁବନେଶ୍ୱର, ଯାଜପୁରରେ ମନ୍ଦିର ନିର୍ମାଣ ସରିଥାଏ । ମାତାଙ୍କ ଉପଦେଶରେ ଆଗଭର ଲାଙ୍ଗୁଳା ନରସିଂହ ଦେବ । ଆରମ୍ଭ ହୁଏ ନିର୍ମାଣ । ହାତୀଠୁ ବୋଇତ, ସ୍ଥଳ ଭାଗରୁ ଜଳପଥ ସବୁଥିରେ ପଥର ବୁହା କାର୍ଯ୍ୟ ଜାରି ରୁହେ । ଦୀର୍ଘ ବର୍ଷର ପରିଶ୍ରମ ଶେଷରେ ପରିଣାମ ସ୍ୱରୂପ ନିର୍ମାଣ କରେ କୋଣାର୍କ ସୂର୍ଯ୍ୟ ମନ୍ଦିର ।
()ପ୍ରାଚୀ ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ ମନ୍ଦିରର ସ୍ଥାପନା । ସେ ଯୁଗରେ ଏହା ଏକ ପୋତାଶ୍ରୟ ବନ୍ଦର ଥିଲା । ଏହାର ନାମଥିଲା କୋଣଗର l ‘‘କୋଣଗର’’ ନାମାନୁସାରେ ମନ୍ଦିରର ନାମ କୋଣାର୍କ ହୋଇଥିବା ବୋଲି ଅନୁମାନ କରାଯାଏ । କୋଣାର୍କ ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ ଏହା ସଂସ୍କୃତ ଶବ୍ଦ କୋଣ ଓ ଅର୍କର ସଂଯୋଗରୁ ତିଆରି ହୋଇଛି । କୋଣରମାନେ ହେଲା ଗୋଟିଏ ପାଖ ଅଥବା ଦୁଇଟି ଦିଗ ବା ରେଖାର ମିଳନ ସ୍ଥାନ ଓ ଅର୍କର ଅର୍ଥ ହେଲା ସୂର୍ଯ୍ୟ । ଏହି ମନ୍ଦିରଟି ସୂର୍ଯ୍ୟ ଦେବଙ୍କ ପାଇଁ ନିର୍ମିତ ହୋଇଥିବାରୁ ଜାଗାର ନାମ ତଦନୁସାରେ କୋଣାର୍କ ହୋଇଥିବା ମତ ପୋଷଣ କରାଯାଏ । ପାଶ୍ଚାତ୍ୟ ଦେଶର ନାବିକମାନେ ଏହାକୁ କୃଷ୍ଣ ପାଗୋଡ଼ା ବା ବ୍ଲାକ ପାଗୋଡ଼ା ଓ ପୁରୀ ଜଗନ୍ନାଥ ମନ୍ଦିରକୁ ଶ୍ୱେତ ପାଗୋଡ଼ା ନାମକରଣ କରିଥିଲେ । ଉତ୍କଳୀୟ ନୌବାଣିଜ୍ୟର ଏହା ଥିଲା ସୂଚିତପଥ । ଏହି ମନ୍ଦିରଦ୍ୱୟ ନାବିକଙ୍କ ନିମନ୍ତେ ଥିଲା ଦିଗ ନିର୍ଧାରଣର ଚିହ୍ନ ।
କଳିଙ୍ଗ ବାସୀ ବିଭିନ୍ନ ଦେଶ ସହିତ ବାଣିଜ୍ୟ କରୁଥିବାର ଅନେକ ପ୍ରମାଣ ଅଛି । ପୂର୍ବ ଆଫ୍ରିକା ସହିତ ବାଣିଜିକ ସମ୍ପର୍କ ଥିବାର କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଏହା ପ୍ରତିପାଦିତ ହୁଏ । ଅନୁଧ୍ୟାନ ଯୋଗ୍ୟ ଯେ ଆଫ୍ରିକା ଜଙ୍ଗଲରେ ଜିରାଫ ପ୍ରାଣୀ ଦେଖାଯାନ୍ତି ଏବଂ କୋଣାର୍କ ମନ୍ଦିରରେ ଜିରାଫର ଚିତ୍ର ମଧ୍ୟ ଗହିଛି । ଯାହାକି ପୂର୍ବ ଆଫ୍ରିକା ସହିତ କଳିଙ୍ଗର ସମ୍ପର୍କ ଥିବାର ସୂଚନା ମିଳେ । ପୁନଶ୍ଚ ଗବେଷଣାରୁ ଜଣାଯାଏ ଖ୍ରୀଷ୍ଟ ପୂର୍ବ ୫୮୭ ରୁ ୫୫୦ ମଧ୍ୟରେ ଚୀନ୍ ର ସମ୍ରାଟ ଯେଉଁ ଧାତବ ମୁଦ୍ରା ପ୍ରଚଳନ କରିଥିଲେ ତାହା ଉତ୍କଳର ପ୍ରଭାବ ବୋଲି ଅନୁମାନ କରାଯାଏ । ଖ୍ରୀ:ପୂ ୭୫ରେ କଳିଙ୍ଗବାସୀ ମାନେ ଜବଦୀପ ଯାତ୍ରା କରୁଥିବାର ସେଠାକାର ପ୍ରଚଳିତ ‘ଅବ୍ଦ’ ରୁ ଜଣାଯାଏ । ସେହିପରି କଳିଙ୍ଗ ବାସୀ ରୋମ୍ ସହିତ ବାଣିଜିକ ସମ୍ପର୍କ ଥୂବାର ବହୁତ ପ୍ରମାଣ ମିଳେ । ସେ କାଳରେ କଳିଙ୍ଗ ଉପକୂଳରେ ଥିବା ପିଥୁଣ୍ଡ, ପାଲୁର , ଗଙ୍ଗା ଓ ତାମ୍ରଲିପି ବନ୍ଦର ଥିବାରୁ ବଡ଼ ବଡ଼ ଜାହାଜ ଯାତାୟାତ କରୁଥୁଲେ । ଏପରିକି ଜଣାଯାଏ ବାଣିଜ୍ୟ କାରବାର ଯୋଗୁଁ ରୋମରୁ ପର୍ଯ୍ୟାପ୍ତ ଧନରତ୍ନ ଚାଲି ଯାଉଥିବାରୁ ରୋମ ସମ୍ରାଟ ବିବ୍ରତ ହୋଇପଡିଥୂଲେ । ଏବେ ମାଟି ଖେଳାଇଲେ ଓଡ଼ିଶାର ଅନେକ ସ୍ଥାନରୁ ମିଳେ ରୋମର ବିଭିନ୍ନ ପଦାର୍ଥ । ଯାହାକୁ ଅନୁଶୀଳନ କରନ୍ତି ପ୍ରତ୍ନତତ୍ୱବିତ୍ ।
📱 Get Argus News App
✨ବାଇଟ-
କେଉଁ ପ୍ରାଗ୍ଐତିହାସିକ କାଳରୁ ରହିଛି ଉତ୍କଳୀୟ ନୌବାଣିଜ୍ୟର ପଦଚିହ୍ନ । କଳିଙ୍ଗବାସୀ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ଏବଂ ପୂର୍ବରେ ବଙ୍ଗୋପ ଉପକୂଳରେ ଥିବା ତାମ୍ରଲିପି, ଦନ୍ତପୁର, କଳିଙ୍ଗ ନଗର, ପାଲୁର ପ୍ରଭୃତି ବନ୍ଦର ଗୁଡିକୁ ନୌବାଣିଜ୍ୟର କେନ୍ଦ୍ର ଭାବେ ପ୍ରଚଳନ କରିଆସୁଥିଲେ । ଖ୍ରୀଷ୍ଟୀୟ ଦ୍ଵିତୀୟ ଶତାବ୍ଦୀରେ ଗ୍ରୀକ୍ ଲେଖକ ଟେଲ୍ ମି ଯେଉଁ ଭୌଗୋଳିକ ଗ୍ରନ୍ଥ ରଚନା କରିଛନ୍ତି ସେଥିରେ ଉଲ୍ଲେଖ ରହିଛି କଳିଙ୍ଗର ଅନେକ ବନ୍ଦର ଓ ବାଣିଜ୍ୟ କେନ୍ଦ୍ରର ନାଁ ଓ ଠିକଣା । ତାହା ସମୟ କ୍ରମେ ବିଲୁପ୍ତ ହୋଇ ଯାଇଛି । ତାଙ୍କ ମତରେ ସେ ସମୟରେ ପାଲୁର, ବରୁଣ, କଟି କର୍ଦ୍ଦମ, ନନୀଗେନ, କୋନାଗାର (କୋଣାର୍କ) କୋଶାମ୍ବ, ମନଦ, ଚିଣ୍ଡିସ, ପିଥୁଣ୍ଡ, କଳିଙ୍ଗ ନଗର ଇତ୍ୟାଦି ବାଣିଜ୍ୟ ପାଇଁ ଅନୁକୂଳ କେନ୍ଦ୍ର ଥିଲା । ପୁନଶ୍ଚ ମଧ୍ୟଯୁଗରେ ଯେଉଁ ବନ୍ଦର ପ୍ରତିଷ୍ଠା ଲାଭ କରି ଥିଲା ସେଗୁଡିକ ମଧ୍ୟରୁ କଳିଂପଟ୍ଟନମ୍, ସିନେଭାର (ସୋନପୁର), କାରପାର (ଗଞ୍ଜାମ), କାରେଟୋର (କୁଶଭଦ୍ରା ମୁହାଣ) ନରଶପୁର, ଅରଶପୁର (ଦେବୀ ନଦୀ ମୁହାଣ), କାନକା (ଧାମରା), ପିପିଲି ( ସୁବର୍ଣ୍ଣ ରେଖା ନଦୀ ମୁହାଣ), ବାଲେଶ୍ବର (ବୁଢା ବଳଙ୍ଗ) ଅନ୍ୟତମ ।
ମୁଖ୍ୟତଃ ତାମ୍ରଲିପି, କୋନାଗର ବା ଆଧୁନିକ କୋଣାର୍କ ଯେଉଁ ଠାରେ କି କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମିତ ହୋଇଅଛି ତାହା ବର୍ତ୍ତମାନ ବିଲୁପ୍ତ ପ୍ରାୟ । ଚତୁର୍ଥ ଶତାଦ୍ଦୀରେ ଫାହୀୟାନ୍ କଳିଙ୍ଗ ବନ୍ଦର ଦେଇ ତାମ୍ରଲିପି ଠାରେ ପହଞ୍ଚି ଥୂଲେ ବୋଲି ତାଙ୍କ ବିବରଣୀରୁ ଜଣ।ଯାଏ, ଯାହାକି ଆଧୁନିକ ମେଦିନୀପୁର ଜିଲ୍ଲାର ପୂର୍ବ ରୂପନାରାୟଣ ନଦୀର ପଶ୍ଚିମ ତୀରରେ ଅବସ୍ଥିତ । ପ୍ରାଚୀନ ଯୁଗରେ ଏହା କଳିଙ୍ଗର ଅନ୍ତର୍ଗତ ଥିଲା । ଏହି ପରିପ୍ରେକ୍ଷୀରେ ମଧ୍ୟ ରଘୁ ବଂଶରେ ଦଶକୁମାର ଚରିତ୍ରରେ ବର୍ଣ୍ଣିତ ହୋଇଅଛି ଯେ “ଅସ୍ତି ସୁଦ୍ମେଶୁ ତାମଲିପି ନାମ ନଗରୀ” ।ଇତିହାସର ପୃଷ୍ଠା ଯେତେ ପୁରୁଣା, ଉତ୍କଳୀୟ ନାବିକର ଯାତ୍ରା ସେତେ ଦୂରଗାମୀ । ବନ୍ଦର, ବାଣିଜ୍ୟ ଓ ନୌଯାତ୍ରା ସେତେ ଋଦ୍ଧିମନ୍ତ । ଯାହା ପ୍ରାଚୀନ ଉତ୍କଳର ଶୋଭାକୁ ମହିମାମଣ୍ଡିତ କରେ ।